ନୂଆଦିଲ୍ଲୀ ୧୩।୦୬; ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଏଯାଏ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ବିମାନଟି ନିକଟସ୍ଥ ଏକ ମେଡିକାଲ୍ କଲେଜର ହଷ୍ଟେଲ୍ ଉପରେ ପଡ଼ିଥିଲା। ଯେଉଁଥିରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ବିଷୟରେ ସୂଚନା ମିଳିଛି କି, "ସିଭିଲ୍ ହସ୍ପିଟାଲକୁ ଆସିଥିବା ସମସ୍ତ ମୃତଦେହ ଗୁରୁତର ଭାବରେ ପୋଡ଼ିଯାଇଛି। ସେମାନଙ୍କୁ ଚିହ୍ନଟ କରିବା ବହୁତ କଷ୍ଟକର। ଲୋକଙ୍କ ଶରୀରର ଅଂଶ ଖଣ୍ଡ ବିଖଣ୍ଡିତ ହୋଇଯାଇଛି ତ କିଛି ପୋଡ଼ିଯାଇଛି । ବର୍ତ୍ତମାନ ମୃତଦେହ ଗୁଡ଼ିକର ଡିଏନଏ ଟେଷ୍ଟ ହେବ। ଏନେଇ ବିମାନରେ ଥିବା ଯାତ୍ରୀଙ୍କ ପରିବାର ଲୋକଙ୍କର ଡିଏନଏ ସାମ୍ପୁଲ ଟେଷ୍ଟ ଆରମ୍ଭ ହୋଇଛି। ମୃତକଙ୍କ ସମ୍ପର୍କୀୟଙ୍କ ସାମ୍ପୁଲ ନେବା ଆରମ୍ଭ କରିଛି ପ୍ରଶାସନ। ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ଆର ନାଇଡୁ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।
ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ବିମାନବନ୍ଦର ନିକଟବର୍ତ୍ତୀ ମେଡିକାଲ କଲେଜର ହଷ୍ଟେଲରେ ପଡିଥିଲା। ସେହି ସମୟରେ ଅନେକ ଡାକ୍ତର ମଧ୍ୟ ଏହାର ଭଗ୍ନାବଶେଷ ତଳେ ଚାପି ହୋଇ ଜୀବନ ହାରିଥିଲେ। ଅଞ୍ଚଳର ଡିସିପି ୨୬୫ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ତଥାପି, ଏପର୍ଯ୍ୟନ୍ତ ଏହା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ। ଏୟାର ଇଣ୍ଡିଆ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛି ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ପ୍ରତିଶ୍ରୁତି ଦେଇଛି।